Unknown

 

 

 

 

 

 

 

 

 

 

ମିଳନ ଚଉତିଶା

ଅର୍ଜୁନ ଦାସ

 

(ରାଗ-କଳଶା)

 

କେଶବ ଆଗରେ କୁଞ୍ଜେ କହେ ସହଚରୀ

କୁସୁମଶର ସଂହାରୁଅଛି ତୋର ନାରୀ ।

କମଳଦଳ ଲୋଚନ ଅନଙ୍ଗର ଜ୍ୱାଳା

କାମଶର ସହିନ ନ ଯାଇ ତୋର ବାଳା ।୧।

 

ଖେଦ ସମୁଦ୍ରରେ ତାକୁ ବୁଡ଼ାଇଲୁ ଢାଳେ

ଖୋଜି ନ ପାଇବୁ ତାକୁ ଲୋଡ଼ିବାର ବେଳେ ।

କ୍ଷୀଣତନୁ ସୁକୁମାରୀ କ୍ଷଣକେ ଚମକେ

ଖଟ ତେଜି ଶୋଇଅଛି ଅବନୀ ପଲଙ୍କେ ।୨।

 

ଗୁପତ ଉଦିତ ବାଣୀ କହିଲୁ ଯତନେ

ଗୁଣ ନେଇ ଲଗାଇଲୁଁ ଅମୂଲ୍ୟ ରତନେ ।

ଗତୁଁ ତାର ଅଧରୁ ଅମୀୟ ପାନକରି

ଗଣ୍ଠିପାଡ଼ି ଯତନେ ଅଛଇ ଜୀବ ଧରି ।୩।

 

ଘୁମାଇଲା ଶଶିମୁଖୀ ଫୁଳଶର ଘାଏ

ଘନ ଘନ ତନୁତାପେ ମଳୟଜ ବହେ ।

 

 

 

 

 

ଘନ କୁଚ ଉପରେଣ ନୟନରେ ନୀର

ଘେନସି ଦୟିନୀ ଦୋଷ ବାରେ କ୍ଷମା କର ।୪।

 

ନିମିଷେ ନରହେ ମନ ନ ଦେଖି ତୋ ମୁଖ

ନିରାଶ ନ କରିଣ ତୁ କହ କେତେ ଦୁଃଖ ।

ନିଧି ହରାଇଲା ପ୍ରାୟେ ହେଉଥାଇ ବାମା

ନକର ନିରାଶ ଦୋଷ ବାରେ କର କ୍ଷମା ।୫।

 

ବଦନ ପଙ୍କଜ ଲାଗି ଚମକଇ ଦେହ

ଚିତ୍ତେ ଅନୁଗ୍ରହ ଥିଲେ ମୋର ଆଗେ କହ ।

ଚନ୍ଦ୍ରମା ବିହୀନେ ଯେହ୍ନେ କୁମୁଦିନୀ ଦୁଃଖୀ

ଚିତ୍ତେ ଦୟାଥିଲେ ପ୍ରଭୁ ବାରେ ଆସ ଦେଖି ।୬।

 

କ୍ଷଣେ କ୍ଷଣେ ହସଇ ଖେଳଇ ରୋଦୁଥାଇ

କ୍ଷଣକେ ଚେତନା ପାଇ ଶଙ୍କନ୍ୟୁ ବାରଇ !

ଛଆ ମୃଗ ଗୋଟି ଯେହ୍ନେ ବାଣ ଘାତ ପାଇ

ଛାଡ଼ିବ ଜୀବନ ମନ ତୋର ଆଶା ଦେଇ ।୭।

 

ଜାଣି ନୋହେ ବଚନ ସେ ଭ୍ରମେ ଯା ବୋଲଇ

ଯିସତିସ ବାଣୀ ଶୁଣି ତୋ ପ୍ରାୟେ ମଣଇ ।

 

ଯୋଗୀ ଯେହ୍ନ ସମାଧି ଘେନଇ ଅହର୍ନିଶି

ଯମ ସମ ଯାମିନୀ ବଞ୍ଚଇ ଏକା ବସି ।୮।

 

ଝାଳେ ଧୂଳି ପଡ଼ି ମୁଖ ଦିଶେ ଜଳି କଳା

ଝର ଝର ଲୋଚନୁ ଲୋତକ ତେଜି ବାଳା ।

ଝିମଣ୍ଟେକ ଝାମ ହେଉଥାଇ ତାର ଅଙ୍ଗ

ଝଗଡ଼ି ନକର ଦିଅ ଦରଶନ ସଙ୍ଗ ।୯।

 

ନିସତ ହୋଇଲା ସଖୀ ମନମଥ କୋପେ

ନିଶି ନ ସରଇ ତାକୁ ଶାଧର ତାପେ ।

ନ ଜାଣଇ କପଟ-ସେନେହ ମୋର ସହୀ

ନିରନ୍ତରେ ରାଦୁଥାଇ ନିରିମାଖି ହୋଇ ।୧୦।

 

ଟମାଳ କହିଲେ ଆଉ ନ ବର୍ତ୍ତଇ ସିନା

ଟେକି ଏଣେ ତେଣେ ତାର ଦୁଃଖ ଦେଖୁଁ କିନା ।

ଟେକି ହୋଇ ବସିବାକୁ ନ ପାରଇ ସହୀ

ଟାଣପଣ କରିଅଛ ତାର କୁଚ ଦୁଇ ।୧୧।

 

ଠାବ କରି ନ ପାରଇ ବୋଇଲେ ବଚନ

ଠାରିଲେଣି ସଖୀ ମୋର ନ ଚାହେଁ ନୟନ ।

ଠୁଳ ଦୋଷମାନ ତାର କେତେ ନାହିଁ ସହି

ଠୁଳ କରି ଲୋଡ଼ିଲେ ପାଇବୁ ଆଉ କାହିଁ ।୧୨।

 

ଡେରିଛି ଶ୍ରବଣ ବାଣୀ ଶୁଣିବାକୁ ପୁଣି

ଡୋଳାରୁ ତାହାର ନିଶ୍ଚେଁ ନ ଶୁଖଇ ପାଣି ।

ଡରିଲାଣି ସଖୀ ମୋର ପଞ୍ଚ ଶରଘାତେ

ଡହକ ସୁବର୍ଣ୍ଣ ଦେଲୁ ଡକାଇତ ହାତେ ।୧୩।

 

ଢାଳେ ହେଁ ତୁ ନିରାଶ ନକର ନରହରି

ଢଳୁଅଛି ସୀମନ୍ତିନୀ ଗୋପର ସୁନ୍ଦରୀ ।

ଢଳଢଳ କମଳ ପତ୍ରରେ ଯେହ୍ନେ ନୀର

ଢମନୋହେ ସଖୀ ମୋର ତେଜୁଛି ଶରୀର ।୧୪।

 

ଅଣ ଆଦରେଣ ହରି ହରାଉଛି ନିଧି

ଅଣଦୋଷେ ରୋଷ କଲେ ନୁହଇ ତା ସିଦ୍ଧି ।

ଅନ୍ୟଦୋଷ ମାନ ତାର କେତେ ଅଛୁ ସହି

ଅଣୁ ଦୟା ଥିଲେ ସଖୀ ମୁଖ ଦେଖ ଯାଇ ।୧୫।

 

 

ତେଶ୍ଚଣ ହୋଇଲୁ ଏଡ଼େ ଉଦାଶିଆ ଖୋଟି

ତରକିଲା ନାହିଁ ସଖୀ ଏ ତୋହର କୁଟି ।

ସ୍ତିରୀରତ୍ନ ଶିରୋମଣି ବିଶେଷ ଅବଳା

ସେ କାହିଁ ସହିବ ସଖୀ ମନମଥ ଜ୍ୱାଳା ।୧୬।

 

ଥନ ଥନ ଥନ କରି ବୁଜଇ ଚାହଁଇ

ସ୍ଥବିର ଲୋକର ପ୍ରାୟେ ହସଇ ଭାଷଇ ।

ଥୋକେ ସଖୀ ଆଗରେ ଏକାନ୍ତେ କହେ ହିୟା

ଥିବ ଜୀବ ଯେମନ୍ତେ କେଶବର କର ଦୟା ।୧୭।

 

ଦୟାନିଧି ବାନା ତୁମ୍ଭ ଭୁବନ ଭରମେ

ଦାରୁଣ ହୋଇଲ ମୋର ଭୁବନ ସଖୀର କରମେ ।

ଦିନକର ବିନୁ ଯେହ୍ନେ କମଳିନୀ ଦୁଃଖୀ

ଦିନୁ ଦିନୁ ଦୁର୍ବଳ ହୋଇଲ ମୋର ସଖୀ ।୧୮।

 

ଧିକ ଜାନୁ ଯଉବନ ଦେଲା ତୋତେ ଦାନ

ଧରମରେ ଧରିଅଛି ଯିବାର ଜୀବନ ।

ଧୋଉଛି ଲାବଣ୍ୟ ମୁଖ ସଖୀ ଅଶ୍ରୁ ବାରି

ଧଇର୍ଯ୍ୟ ହାରିଲା ବାରେ ରଖ ତୋର ନାରୀ ।୧୯।

 

 

ନ ସହୁ ଯେ ବଦନ ବିଚ୍ଛେଦ ସୁପାତିରେ

ନ ଛାଡ଼ୁ ଯେ ପ୍ରୀତି ବାଣୀ ବସିଲେ କତିରେ ।

ନ ପିଛାଡ଼ୁ ନୟନ ଯେ ବିଚ୍ଛେଦକୁ ଡରୁ

ନିଦ୍ରା ଯାଇଥିଲେ ଯେ ଅଧର ପାନକରୁ ।୨୦।

 

ପୂର୍ବର ପୀରତି ଯେ ଯେମନ୍ତ ତାର ତୋର

ପଙ୍କଜ ଫୁଲ ଦେଖି ଯେମନ୍ତେ ଦିବାକର ।

ପୁରୁଷ ରତନ ତୁମ୍ଭେ ନ କରାଅ ଭିନ୍ନ

ପୟରେ ଲାଗି ମାଗଇ ଦୋଷ ତା ଘେନ ।୨୧।

 

ଫାଇ କଥା କହି ନ ପାରଇ ସଖୀ ମୋର

ଫିଟିଲା କବରୀ ବାନ୍ଧି ନ ପାରଇ କର ।

ଫେରି ନ ଚାହାଁଇ ଆଉ ମନମଥ ଡରେ

ଫଣିଧର ପ୍ରାୟେ ମଣେ ମନୁମନଶରେ ।୨୨।

 

ବିଷାଦ ହୋଇଣ ପେଷି ଅଛି ମୋତେ ସଖୀ

ବିବାଦ ଛାଡ଼ି ସୁମନେ ବାରେ ଆସ ଦେଖି ।

ବହଇ ଖର ନିଶ୍ୱାସ ଖରତର ହୋଇ

ବାତୁଳ ହୋଇଣ ସଖୀ ଅବନୀରେ ଶୋଇ ।୨୩।

 

 

ଭୟ ନ କରଇ ସଖା ମନମଥ କୋପେ

ଭଗବାନ ବିନୁ ଆର ନ ଜାଣଇ ତପେ ।

ଭୂମିରେଣ ଶୋଇଥିବ ମୋର ଯିବା ପାଇଁ

ଭାଙ୍ଗନା ମୋହର ବୋଲ ବାରେ ଯିବା ତହିଁ ।୨୪।

 

ମଧୁର ଅଧର ଶୁଖି ଦିଶିଲା ନୀରସ

ମୂରୁଛିଲା ମନ୍ଦୋଦରୀ ମନ୍ଦ ମନ୍ଦ ହାସ ।

ମନର ଠାକୁର ନାଥ ତୁମ୍ଭେ କି ନ ଜାଣ

ମୋହଗଲା ପ୍ରାଣୀକି ଖଡ଼ଗେ କେତେ ହାଣ ।୨୫।

 

ଯେ ଯାହାର ଅଭିମାନ ତାର ତହିଁ ସରେ

ଜାଣୁ କି ନ ଜାଣୁ ତାହାକୁଇ ସେହି କରେ ।

ଯୁବା ଜନ ନିଧି ଲକ୍ଷ ଯୋଗେ ଯେହୁ ପାଇ

ଜାଣୁ ଜାଣୁ ଜୀବନ ସେ କେତେକ ହରାଇ ।୨୬।

 

ରୋଷକରି ରୁଷି ବସି ଥାଇ ମୋର ସଖୀ

ରଖି ନ ପାରଇ ମାନ ତୋର ମୁଖ ଦେଖି ।

ରଙ୍ଗ କରିଥାଇ ଯେତେ ଆଲିଙ୍ଗନ ମାନ

ରତି ନତି ସହିତେ ଦିଆଇ ତୋତେ ଦାନ ।୨୭।

 

 

ଲହୁଲି ଯୌବନ କାଳେ ମନର ନାୟକ

ଲାଖ କରି ବିନ୍ଧୁଅଛି କୁସୁମ ଶାୟକ ।

ଲୁଲିଲା କମଳପୁଷ୍ପ ପ୍ରାୟେକ ଦିଶଇ

ଲୀଳା ଲୋଭେ କରିଣ ପଙ୍କରେ କି ଭାସଇ ।୨୮।

 

ବିଷମ କୁସୁମ ଶରେ ବିରହ ଜୀବନ

ବାହୁଡ଼ିଲା ନାହିଁ ସଖୀ ତୋ ତହୁଁ ତା ମନ ।

ବାହାର ହୁଅନ୍ତେ କିସେ ବିନ୍ଧୁଅଛି ଆଶେ

ବେଦନା ନ ଲଭ ବାରେ ଯିବି ତାର ପାଶେ ।୨୯।

 

ଶୁଖିଲା ଡାଳିମ୍ବ ପୁଷ୍ପ ପ୍ରାୟେ ତା ଅଧର

ଶୁଖିଲା ନାହିଁ ସଖୀର ନୟନରୁ ନୀର ।

ସୁମରି ସୁମରି ସେହୁ ସ୍ୱଭାବେ ମରିବ

ଶ୍ରୀ ଅଙ୍ଗ ଉପରେ ତାର ନିଶ୍ୱାସ ପଡ଼ିବ ।୩୦।

 

ସେନେହ ସରାଗ ସଖୀ ତୋତେ ଦେଲା ଦେହ

ଶିଶିର କିରଣେ ମୋର ସଖୀକି ନ ଦହ ।

ସହଣ ନ ଯାଇ ସଖୀ ସୁକୁମାରୀ ଅତି

ସ୍ୱଭାବେ ହେଁ ସୋଦର ତା ଯହୁଁ ଗୋପୀପତି ।୩୧।

 

 

ସତ ଯେବେ ସଖୀରେ ସଦୟେ ଦେବରାୟେ

ସତ ହୋଇଲ ତା ଭଲେ ଚାଲ ଯିବା ଘାଏ ।

ଶୁଣିଣ ସନ୍ତୋଷ ହୋଇ ଉଠିଲେ ଶ୍ରୀପତି

ସହଚରୀ ହସ୍ତଧରି ଚାଲିଣ ଯାଆନ୍ତି ।୩୨।

 

ହରି ହରିଣ କ୍ଷିପୁରେ ତୁରିତରେ ମିଳି

ହସିକରି ଆଲିଙ୍ଗନ କଲେ ଚନ୍ଦ୍ରାବଳୀ ।

ହୋଇଲେ ଅନଙ୍ଗ ରଙ୍ଗ ବେନି ଯହୁଁ

ହରଷେ ତା କାମଧନୁ କାନ୍ଧେକଲା ତହୁଁ ।୩୩।

 

କ୍ଷୟେଗଲା ତାପ କର କ୍ଷମାକଲେ ଦୋଷ

କ୍ଷମାଶୀଳ ପ୍ରଭୁଙ୍କୁ ମୁଁ କହିବଇଁ କିସ ।

ଛଟକ କରି କହଇ ଅରଜୁନ ଦାଶ

ଛଟକେ ହେଲା ମିଳନ ଚଉତିଶା ଶେଷ ।୩୪।

 

ଭାବାର୍ଥ - (୧-୫) କୁଞ୍ଜ ମଧ୍ୟରେ ଥିବା କୃଷ୍ଣଙ୍କ ଆଗରେ ସହଚରୀଟିଏ କହିଲା- ହେ କୃଷ୍ଣ, ତୁମ ପ୍ରିୟାକୁ କନ୍ଦର୍ପ ଫୁଲଶର ମାରୁଛି । ତା’ର ଜ୍ଵାଳାରେ ସେ ଜର୍ଜରିତା ହୋଇପଡ଼ିଛି । ଦୁଃଖ ସମୁଦ୍ରରେ ତାକୁ ବୁଡ଼ାଇଦେଲ । ଲୋଡ଼ିବାର ସମୟରେ ତାକୁ ଖୋଜି ପାଇଲୁ ନାହିଁ । କ୍ଷୀଣାତନୁ ସୁକୁମାରୀ କ୍ଷଣ କ୍ଷଣକେ ଚମକି ପଡ଼ୁଛି । ଖଟ ତ୍ୟାଗ କରି ଭୂମି ଉପରେ ଶୋଇ ରହୁଛି । ତାକୁ ଗୁପ୍ତରେ କି କଥା କହିଲ କେଜାଣି ଓ ତା’ର ଓଷ୍ଠରୁ ଅମୃତ ପାନ କଲ । ଏ ସମୟରେ ଛାଡ଼ି ଦେଲେ ସେ ଜୀବନ କେମିତି ଧରିବ ? ଫୁଲଶରର ଆଘାତରେ ସେ ଶଶିମୁଖୀ ଭାରାକ୍ରାନ୍ତ ହୋଇପଡ଼ିଛି । ଶରୀରରେ ଅଧିକ ଉତ୍ତାପ ଯୋଗୁଁ ସେ କ୍ଳାନ୍ତ ହୋଇ ପଡ଼ିଛି । ନାକରୁ ଘନ ନିଶ୍ୱାସ ବହୁଛି । ତା’ ଆଖିରୁ ଲୁହ ଝରି ତା’ର ଘନ ବକ୍ଷୋଜକୁ ତିନ୍ତାଇ ଦେଲାଣି । ତାକୁ ଦୟାକରି ତା’ ଦୋଷ କ୍ଷମା କର ।

 

ତୁମ ମୁଖିକୁ ନ ଦେଖିବା ଯୋଗୁଁ ତା’ ମନ କ୍ଷଣେ କାଳ ପାଇଁ ସ୍ଥିର ରହିପାରୁନାହିଁ । ତା’ର ବେଶି ଦୁଃଖ, ନିଧି ହରାଇଲା ପରି ତା’ ଅବସ୍ଥା ହୋଇଛି । ତାକୁ ନିରାଶ ନ କରି, ତା’ ଦୋଷକୁ କ୍ଷମା କର ।

 

ଭାବାର୍ଥ- (୬-୧୨) ତା’ର ମୁଖପଦ୍ମ ଶୋଭା ଚମତ୍କାର, ତା’ ଯୋଗୁଁ ଦେହ ଚମକୁଛି । ମନରେ ତୁମର ଅନୁଗ୍ରହ ଥିଲେ ମୋ ଆଗରେ ପ୍ରକାଶ କର । ଚନ୍ଦ୍ରବିନା ଯେମିତି କୁମୁଦିନୀ ଦୁଃଖୀ ହୋଇଥାଏ, ସେମିତି ତୁମବିନା ସେ କଷ୍ଟ ପାଉଛି । ପ୍ରଭୁ, ତା’ ପ୍ରତି ତୁମ ମନରେ ଯଦି ସାମାନ୍ୟ ଦୟା ଅଛି । ତେବେ ତାକୁ ଥରେ ଦେଖିକରି ଆସ । ସେ ବେଳେ ବେଳେ ହସୁଛି, କେତେବେଳେ ଖେଳୁଛି ପୁଣି କେତେବେଳେ କାନ୍ଦୁଛି । କ୍ଷଣକ ମଧ୍ୟରେ ପୁଣି ଚେତନା ପାଇ ଉଠୁଛି । ଶିଶୁ ମୃଗଟିଏ ଶର ଆଘାତ ପାଇ ଯେମିତି ଜୀବନ ଛାଡ଼ିବାକୁ ବସିଥାଏ, କଲବଲ ହୁଏ, ସେମିତି ସେ ତୁମକୁ ମନଦେଇ ଭଲ ପାଇଛି । ନ ପାଇ କଲବଲ ହେଉଛି, ଏହା ନ ହେଲେ ସେ ଜୀବନ ହାରିଦେବ । ସେ କେତେବେଳେ କ’ଣ କଥା କହୁଛି, ଜାଣି ହେଉନାହିଁ । ଯିଏ ଯାହା (ଯିସତିସ) କଥା କହିଲା ତାକୁ ଶୁଣି ତୁମେ କହୁଛ ବୋଲି ଭ୍ରମରେ ଭାବୁଛି । ଯୋଗୀମାନେ ଅହର୍ନିଶ ସମାଧି ନେଇଥା’ନ୍ତି । ସେମିତି ବାଳା ରାତିଟାକୁ ଯମ ଦଣ୍ଡ ସମାନ ଭୋଗକରୁଛି, ଏକା ଏକା ବସି ରାତି ପୁହାଉଛି ।

 

ହେ କୃଷ୍ଣ, କ୍ଲାନ୍ତି ଯୋଗୁଁ ସେ ଝାଳରେ ବୁଡ଼ିଯାଇଛି । ସେଥିରେ ଧୂଳି ପଡ଼ି ତା’ ମୁଖମଣ୍ଡଳ କଳା ପଡ଼ିଯାଇଛି । ଆଖିରୁ ତା’ର ଧାର ଧାର ଲୁହ ଝରି ପଡୁଛି । ତା’ ଶରୀରରେ ଝାମ ସୃଷ୍ଟି ହେଉଛି । ତା’ର ଏତେ ଦୁଃଖ, ନିର୍ଦ୍ଦୟ ନ ହୋଇ ତାକୁ ସଙ୍ଗରେ ନେଇଆସ । କନ୍ଦର୍ପର କୋପରେ ସଖୀ ନିସତ ହୋଇଯାଇଛି । ଚନ୍ଦ୍ରର କିରଣ ତାକୁ ଯନ୍ତ୍ରଣା ଦେଉଛି, ରାତିସାରା ଛଟପଟ ହେଉଛି । ମୋର ସଖୀ କପଟ-ସ୍ନେହ କ’ଣ ଜାଣେ ନାହିଁ । ନିରୀମାଖି ହୋଇ ସେ ସର୍ବଦା କାନ୍ଦୁଛି-। ଏତେ ଦୁଃଖରେ ସେ ଆଉ ବର୍ତ୍ତିବ ? ମୁଣ୍ଡ ଟେକି ତା’ର ଦୁଃଖକୁ ଏଣେ ତେଣେ ଦେଖିବାକୁ ପଡୁଛି । ମୋ ସଖୀ ଏତେ କଷ୍ଟ ଏବେ ପାଉଛି ଯେ, ନିଜକୁ ସଳଖି ହୋଇ ବସି ପାରୁ ନାହିଁ । ତା’ର ସବୁ ଟାଣପଣ ଭାଙ୍ଗି ଯାଇଛି । ଯାହା ତା’ର ବକ୍ଷୋଜ ଦି’ଟା ଟାଣ ପଣ ଦେଖାଉଛି ! ତାକୁ କିଏ କ’ଣ କହିଲେ ଜାଣିପାରୁ ନାହିଁ କି କାହାକୁ ଚିହ୍ନି ପାରୁନାହିଁ । ସଖୀମାନେ ଠାରିଲେ ମଧ୍ୟ ଜାଣିପାରୁ ନାହିଁ, ଆଖିଖୋଲି ଚାହୁଁନାହିଁ । କେତେ କଷ୍ଟ ସେ ପାଇଲାଣି । ତା ଅବସ୍ଥା ଖରାପ । ତାକୁ ଖୋଜିଲେ ମଧ୍ୟ ପାଇବ ନାହିଁ ।

 

ଭାବାର୍ଥ - (୧୩-୨୦) ହେ କୃଷ୍ଣ, ସେ ତୁମ ପାଇଁ ପାଗଳିନୀ ପ୍ରାୟ ହୋଇଛି । ତୁମ କଥା ଶୁଣିବାକୁ ସେ କାନ ଡେରି ରହିଛି । କୁସୁମ ଶରର ଆଘାତକୁ ସଖୀ ମୋର ଡରିଲାଣି । ତୁମେ ଏତେ ନିଷ୍ଠୁର ? ଡକାୟତ ହାତରେ ଶୁଦ୍ଧ ସୁନାକୁ ଟେକି ଦେଉଛ ? ହେ ନରହରି, ମୋ ସଖୀକୁ ନିରାଶ କର ନାହିଁ । ସେ ଗୋପର ସୁନ୍ଦରୀ ଦୁଃଖରେ ଢଳି ପଡ଼ୁଛି । ପଦ୍ମପତ୍ରରେ ଜଳ ଢଳଢଳ ହେଲାଭଳି ମୋ ସଖୀର ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ହେ ହରି, ତୁମେ ତାକୁ ଅଣଆଦର କରି ନିଧିକୁ ହରାଉଛ । ତା’ ଭଳି ନିଧି ତୁମେ କେଉଁଠି ପାଇବ ? ଦୋଷ କରି ନ ଥିବା ଲୋକଠାରେ ରୋଷ କରିବା ଠିକ୍ ନୁହେଁ । ତା’ର କେତେ କେତେ ଦୋଷ ସହିଛି, ଏବେ ତା’ର ଦୁଃଖ ଅସହ୍ୟ । ତୁମ ହୃଦୟରେ ଯଦି ସାମାନ୍ୟ ଦୟାଭାବ ଅଛି, ତେବେ ଥରେ ତା’ର ମୁଖକୁ ଦେଖି ଆସ । ହେ କୃଷ୍ଣ, ତୁମେ ଏଡ଼େ ଉଦାସିଆ ହୋଇଗଲ ?' ସଖୀ ମୋର ତୁମର ଏ କୁଟିଳ ବୁଦ୍ଧିକୁ ତରକି ପାରିଲା ନାହିଁ । ସ୍ତ୍ରୀ ରତ୍ନ ସେ, ରମଣୀ ଶିରୋମଣି, ବିଶେଷରେ ଅବଳା । କନ୍ଦର୍ପର ଢାଳାକୁ କିପରି ସେ ସହିବ ?

 

ଛନ୍ନ ଛନ୍ନ ହୋଇ ସେ କେତେବେଳେ ଆଖି ବୁଜୁଛି ପୁଣି ଚାହୁଁଛି । ବୃଦ୍ଧା ଲୋକ ପରି କେତେବେଳେ ହସୁଛି ତ କେତେବେଳେ ଏଣୁତେଣୁ କହୁଛି । ଥୋକାଏ ସଖୀ ଆଗରେ ଏକାନ୍ତରେ ସେ ତା’ ଦୁଃଖ କଥା କହିଛି । ହେ କେଶବ, ତା’ ଜୀବନ । ଯେମିତି ରହିବ, ସେଇୟା କର । ତା’ ପ୍ରତି ଦୟାବାନ ହୁଅ । ତୁମ୍ଭର ଦୟାନିଧି ବାନା ସମଗ୍ର ଜଗତରେ ଉଡୁଛି । ମୋ ସଖୀର କର୍ମରେ କିନ୍ତୁ ତୁମେ ନିଦାରୁଣ ହୋଇଛ । ସୂର୍ଯ୍ୟ ବିନା ଯେମିତି କମଳିନୀ ଦୁଃଖୀ ହୋଇଥାଏ, ସେମିତି ମୋ ସଖୀର ଅବସ୍ଥା ହୋଇଛି । ତୁମକୁ ଝୁରି ଝୁରି ସେ ଦୁର୍ବଳ ହୋଇଗଲାଣି । ହେ କୃଷ୍ଣ, ତୁମକୁ ସେ ଯାହା ଜାନୁ, ଯୌବନ ଦାନ ଦେଲା, ତାକୁ ଧିକ୍ । ତା’ ଜୀବନ ଥାଇ ଆଉ ଲାଭ କ’ଣ ? ଯାଉଥିବା ଜୀବନକୁ ଯାହା ଧର୍ମରେ ଧରିଛି ! ଲୁହ ପାଣିରେ ତା’ ସୁନ୍ଦର ମୁଖକୁ ସେ ଧୋଉଛି । ଧୈର୍ଯ୍ୟ ହରାଇସାରିଲାଣି ସେ, ତୋ ରମଣୀମଣିକୁ ରକ୍ଷା କର । କୋମଳ ଶେଯରେ ଘଡ଼ିଏ ଅନ୍ତର ହେଲେ ତୁମେ ସହିପାରନାହିଁ । ପାଖରେ ବସି ପ୍ରୀତିବାଣୀ ନ ଶୁଣିଲେ ଛାଡ଼ନାହିଁ, ବିଚ୍ଛେଦ ଡରରେ ଚକ୍ଷୁସାମନାରୁ ଘଡ଼ିଏ ମଧ୍ୟ ତାକୁ ଅନ୍ତର କରୁ ନ ଥିଲ, ନିଦ୍ରା ଯାଇଥିଲେ ତା’ର ଅଧରକୁ ପାନ କରୁଥିଲ, ଏବେ ତା’ ପ୍ରତି ଏତେ ନିଷ୍ଠୁର ହେଉଛ ?

 

ଭାବାର୍ଥ - (୨୧-୨୮) ହେ କୃଷ୍ଣ, ପୂର୍ବରୁ ତୁମର ଓ ତା’ ମଧ୍ୟରେ ପ୍ରେମ । ସୂର୍ଯ୍ୟ ଓ ପଦ୍ମଫୁଲ ପରି ଥିଲା । ତୁମେ ପୁରୁଷରତ୍ନ ତାକୁ ଏହି ପ୍ରେମରୁ ଭିନ୍ନ କରାଅ ନାହିଁ । ମୁଁ ତୁମ ପାଦ ତଳେ ପଡ଼ି ବିନତି ଜଣାଉଛି, ତା’ ଦୋଷକୁ ଧର ନାହିଁ । ମୋ ସଖୀ ତୁମ କଥା ଠିକ୍ ଭାବରେ କହିପାରୁନାହିଁ । ଫିଟିଥିବା କବରୀକୁ ନିଜ ହାତରେ ବାନ୍ଧି ପାରୁନାହିଁ । କନ୍ଦର୍ପର ଡରରେ ଆଖି ମଧ୍ୟ ଖୋଲିପାରୁ ନାହିଁ । କନ୍ଦର୍ପର ଫୁଲ ଶରକୁ ସର୍ପପ୍ରାୟ ମଣୁଛି । ବିଷାଦ ମନରେ ସେ ମୋତେ ତୁମ ପାଖକୁ ପଠାଇଛି । ପଛର ବିବାଦକୁ ଭୁଲିଯାଇ ସଖୀକୁ ମୋର ଥରେ ଦେଖିଆସ । ତା’ କଷ୍ଟ କହିଲେ ସରିବ ନାହିଁ । ନାକରୁ ନିଶ୍ଵାସ ଖରତର ହୋଇ ବହୁଛି । ବାତୁଳ ପ୍ରାୟ ହୋଇ ଭୂମି । ଉପରେ ଶୋଇ ରହୁଛି ।

 

ଏହା ଶୁଣି କୃଷ୍ଣ କହିଲେ - ଲୋ ସଖି, ମୁଁ କନ୍ଦର୍ପର କୋପକୁ ଭୟ କରେ ନାହିଁ । ଭଗବାନଙ୍କ ବିନା ମୁଁ କାହାକୁ ଜାଣେ ନାହିଁ । ପ୍ରିୟା ମୋର ମୋ ଯିବା ବାଟକୁ ଚାହିଁ ଭୂମି ଉପରେ ଶୋଇ ରହିଥିବ । ମୋ ବୋଲ ଭାଙ୍ଗନା, ସେଠାକୁ ଯିବା । କୃଷ୍ଣଙ୍କ । କଥା ଶୁଣି ସଖୀର ମଧୁର ଓଷ୍ଠରେ ନୀରସ ଭାବ ଦେଖାଗଲା । ତା’ ମୁଖର ହସ ଲିଭିଗଲା । କହିଲା- ହେ ମନର ଠାକୁର, ତୁମେ କାହିଁକି ଏପରି ନିଷ୍ଠୁର ହେଉଛି ? ମୂର୍ଚ୍ଛା ଯାଇଥିବା ପ୍ରାଣୀକୁ ଖଣ୍ଡାରେ ହାଣି ପକାଉଛି ? ଯିଏ ଯାହା ପାଇଁ ଅଭିମାନ କରେ ତା’ର ପାଇଁ ଭାବି ଭାବି ଦିନ ସାରିଥାଏ । ଜାଣତରେ ହେଉ ବା ଅଜାଣତରେ ହେଉ ତାକୁ ହିଁ ସେ ନିଜର କରେ । ଯୌବନ, ଜନ ଓ ନିଧି ଲକ୍ଷ ଲକ୍ଷ ଯେ ପାଇଥାଏ, ସେ କେତେବେଳେ ତାକୁ ଯେ ହରାଇ ବସିବ ନିଜେ ଜାଣି ନ ଥାଏ ।

 

ସଖୀ କହିଲା - ହେ କୃଷ, ମୋ ସଖୀ ରୋଷ କରି ରୁଷି ବସିଛି । ତୁମ ମୁଖକୁ ଦେଖି ତା’ର ମାନ ରଖିପାରୁ ନାହିଁ । ଆଲିଙ୍ଗନ ସବୁ, ରତି ପତି ସହିତ ତୁମକୁ ଦାନ ଦେଇଛି । କଞ୍ଚା ଯୌବନ କାଳରେ ତୁମେ ତା’ର ମନର ନାୟକ । କନ୍ଦର୍ପ ତାକୁ ଲାଖ କରି ଫୁଲଶର ବିନ୍ଧୁଛି । ଶୁଖିଲା ପଦ୍ମଫୁଲ ପ୍ରାୟ ସେ ଦିଶୁଛି । ସତେ ଯେମିତି ଲୀଳା ଲୋଭରେ ପଙ୍କରେ ତାହା ଭାସୁଛି !

 

ଭାବାର୍ଥ - (୨୯-୩୪) ହେ କୃଷ୍ଣ, ବିଷମ କୁସୁମ ଶରରେ ଜର୍ଜରିତା ସଖୀ ବିରହୀ ଜୀବନ କାଟୁଛି । ତୋ ଠାରୁ ତା’ ମନ ବାହୁଡ଼ି ନାହିଁ । ସେ ବଡ଼ କଷ୍ଟରେ ଜୀବନ ବିତାଉଅଛି । ତା ପାଖକୁ ଯିବା ପାଇଁ ପ୍ରସ୍ତୁତ ହୁଅ । ମନକୁ କଷ୍ଟ କର ନାହିଁ । ଶୁଖିଲା ଡାଳିମ୍ବଫୁଲ ପରି ତା’ ଓଷ୍ଠ ଉଦାସ ଦେଖାଯାଉଛି । ତା’ ଆଖିରୁ ଲୁହ ଧାର ଶୁଖୁନାହିଁ । ସେ ତୁମକୁ ଝୁରିଝୁରି ସ୍ୱଭାବତଃ ମରିଯିବ । ତୁମକୁ ଏ କଳଙ୍କ ଲାଗିବ । ତା’ର ନିଶ୍ୱାସ ତୁମ ଉପରେ ପଡ଼ିବ । ସ୍ନେହ, ସରାଗ ବଶରେ ସଖୀ ମୋର ତୁମକୁ ଦେହ ଦାନ ଦେଲା ଅଥଚ ତା’ ପ୍ରତି ନିର୍ଦ୍ଦୟ ହେଉଛ । ଶିଶିର କିରଣରେ ମୋ ସଖୀର ଦେହକୁ ଆଉ ଜଳାନା । ମୋର ସଖୀ ଅତି ସୁକୁମାରୀ, ସ୍ୱଭାବରେ ତା’ ଭାଇ ଗୋପୀପତି ।

 

ସଖୀଠାରୁ ଏହା ଶୁଣି କୃଷ୍ଣ ସନ୍ତୋଷ ଚିତ୍ତରେ କହିଲେ- ରେ ସଖୀ, ଏହା ଯଦି ସତ, ଭଗବାନଙ୍କ ଦୟା, ତେବେ ଚାଲ, ସେଠାକୁ ଯିବା । ଏହା କହି ସେ ସହଚରୀର ହାତଧରି ଚାଲିଗଲେ । କୃଷ୍ଣ ସେଠାରେ ତୁରନ୍ତ ପହଞ୍ଚି ଚନ୍ଦ୍ରାବଳୀର ମାନ ଭାଙ୍ଗିଲେ ଓ ହସି ହସି ଆଲିଙ୍ଗନ କଲେ । ଦୁହେଁ ଆନନ୍ଦ ମନରେ ପରସ୍ପରକୁ କୋଳେଇ ନେଲେ । ଚନ୍ଦ୍ରାବଳୀର ଦେହର ତାପ । ଦୂର ହେଲା, କୃଷ୍ଣ ତା’ର ସମସ୍ତ ଦୋଷ କ୍ଷମା କଲେ । କବି କହୁଛନ୍ତି, କ୍ଷମାଶୀଳ ପ୍ରଭୁଙ୍କୁ ମୁଁ ଅଧିକ କ’ଣ କହିବି ? ଛଟକରେ ଏ ମିଳନ ଚଉତିଶା ଶେଷ ହେଲା ।